Home Introduction Fonts about Contact Us   
 

ଓଡ଼ିଆ ଭାଷାସାହିତ୍ୟ

 

Odia Language (ଓଡ଼ିଆ ଭାଷା) ଭାରତୀୟ ଆର୍ଯ୍ୟଭାଷା ପରିବାରର ପୂର୍ବାଞ୍ଚଳୀୟ ଭାଷାଗୋଷ୍ଠୀର ଅନ୍ତର୍ଭୁକ୍ତ୤ ଆସାମୀ, ବଙ୍ଗଳା, ବିହାରୀ ଓ ଓଡ଼ିଆ ଏହି ଭାଷାଗୋଷ୍ଠୀର ପ୍ରଧାନ ଭାଷା୤ ଭାଷାତତ୍ତ୍ବବିଦ୍‌ଙ୍କ ମତରେ ଆସାମୀ, ବଙ୍ଗଳା ଓ ଓଡ଼ିଆ ଗୋଟିଏ ପରିବାରର ତିନିଭଉଣୀ ମଧ୍ୟରେ ଓଡ଼ିଆ ହେଉଛି ବଡ଼ ଭଉଣୀ୤ ଖ୍ରୀ: ସପ୍ତମ ଓ ଅଷ୍ଟମ ଶତାବ୍ଦୀ ବେଳକୁ ଭାରତୀୟ ଆର୍ଯ୍ୟଭାଷାର 'କୁଟିଳଲିପି' ବ୍ୟବହୃତ ହୋଇ ସାରଥିଲା ଏବଂ ଭୌମକରମାନଙ୍କର ଗୌରବମୟ ରାଜସ୍ବ ଚାଲିଥିବାବେଳ ମହାଯାନ ବୌଦ୍ଧଧର୍ମର ବିଭିନ୍ନ ଶାଖାପ୍ରଶାଖା ଯଥା ସହଜଯାନ, ବଜ୍ରଯାନ ବା ତାନ୍ତ୍ରିକ ବୌଦ୍ଧ ଧର୍ମର ପ୍ରଧାନ ପୀଠ ପାଇଁ ଓଡ଼ିଶା ଦେଶବିଦେଶରେ ଗୌରବମୟ ଧାର୍ମିକ ପୀଠଭାବେ ପ୍ରତିଷ୍ଠା ଲାଭ କରି ସାରିଥିଲା୤ ଏହି ସମୟରେ (ଖ୍ରୀ: ୭୯୫)ରେ ଶୁଭାକର କେଶରୀ ଚୀନ ସମ୍ରାଟଙ୍କ ନିକଟକୁ 'ଚଣ୍ଡବ୍ୟୁହ' ନାମକ ଗ୍ରନ୍ଥ ଉପହାର ପଠାଇଥିଲେ୤ ଏହି ସମୟରେ ହିଁ ଓଡ଼ିଶାର ଅପଭ୍ରଂଶ ଭାଷାର ବିକାଶ ସାଧିତ ହୋଇଥିଲା୤ ବହୁ ସିଦ୍ଧାଚାର୍ଯ୍ୟ ସେମାନଙ୍କର ଅମୂଲ୍ୟ ସିଦ୍ଧଗୀତିକା ଜାତିକୁ ଦେବା ସହିତ ନେପାଳ, ତିବ୍ବତ ପ୍ରଭୃତି ଦେଶରେ ଓଡ଼ିଶା ଆନୀତ ତାନ୍ତ୍ରିକ ବୌଦ୍ଧଧର୍ମର ବିଭନ୍ନ ମତବାଦ ପ୍ରଚାର ଓ ପ୍ରସାର କରାଇ ଦେଶକୁ ଗୌବାନ୍ବିତ କରିଥିଲେ୤ Odia Macro Database (International)
 

ଶିଳାଲେଖରେ ଓଡ଼ିଆ ଭାଷା

ସମ୍ରାଟ ଅଶୋକଙ୍କ କଳିଙ୍ଗ ବିଜୟ ପରେ ଓଡ଼ିଶାର ଇତିହାସ ଆରମ୍ଭ ହୁଏ୤ ଅଶୋକଙ୍କ କଳିଙ୍ଗ ବିଜୟ ପୂର୍ବରୁ ଓଡ଼ିଶାର ଇତିହାସ କ’ଣ ଥିଲା ତାହା ଜଣାପଡ଼େ ନାହିଁ୤ କେବଳ ପୌରାଣିକ ମତବାଦରୁ ଯାହା ବିଶ୍ଳେଷଣ କରାଯାଇଥାଏ୤ କଳିଙ୍ଗ ବିଜୟ ସମୟରୁ ହିଁ ଓଡ଼ିଶାରେ ଆର୍ଯ୍ୟ ସଭ୍ୟତାର ପ୍ରବେଶ ସମୟ ବୋଲି କୁହାଯାଏ୤ ତାହା ପୂର୍ବରୁ ଓଡ଼ିଶା ଅନାର୍ଯ୍ୟ, ଦ୍ରାବିଡ଼ ଓ ଅଷ୍ଟ୍ରୋଏସୀୟ ଜାତି ବା ମୁଣ୍ଡାରୀ ଗୋଷ୍ଠୀର  ଲୋକଙ୍କ ଦ୍ବାରା ଅଧ୍ୟୁଷିତ ହୋଇଥିଲା୤ ଅଶୋକଙ୍କ ଦୁଇଟି ଶିଳାଲେଖ (ଧଉଳି, ଜଉଗଡ଼)ରୁ ଜଣାଯାଏ ଓଡ଼ିଶାର ପ୍ରଥମ ଲିଖିତ ଭାଷା ଓ ସାହିତ୍ୟର ଉନ୍ମେଷ୤ ଦ୍ବିତୀୟ ଐତିହାସିକ ଅଭିଲେଖ ହେଲା ମହାମେଘବାହନ ଐର ଖାରବେଳଙ୍କ ଖଣ୍ଡଗିରି (ହାତୀଗୁମ୍ଫା) ଅଭିଲେଖ୤ ଓଡ଼ିଶାରେ ଅଶୋକ ଓ ଖାରବେଳଙ୍କ ରାଜତ୍ବ ମଧ୍ୟ ବୌଦ୍ଧ ଓ ଜୈନ ଧର୍ମର ଯଥାର୍ଥ ଇତିହାସରୁ ଆରମ୍ଭ ହୁଏ୤

କଳିଙ୍ଗ ଓ ପାଲି ଭାଷା

ଉପର୍ଯ୍ୟୁକ୍ତ ଶିଳାଲେଖ ପାଲିଭାଷାର ସର୍ବପ୍ରାଚୀନ ଅଭିଲେଖ୤ ଅଶୋକଙ୍କର ଦୁଇଟିଯାକ ଶିଳାଲେଖ ଶୁଦ୍ଧ ପାଲି ଭାଷାରେ ଓ ବ୍ରାହ୍ମୀଲିପିରେ ଉତ୍କୀର୍ଣ୍ଣ ହୋଇଛି୤ ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖ ବ୍ରାହ୍ମୀଲିପିରେ ଖୋଦିତ ହୋଇଥିଲେ ହେଁ ପାଲି ଓ ଅର୍ଦ୍ଧ ମାଗଧୀ ଭାଷାର ଲକ୍ଷଣ ଦେଖାଯାଏ୤

ପ୍ରାକୃତ ଭାଷା ଓ ଓଡ଼ିଆ

ଆଧୁନିକ ଓଡ଼ିଆ ଭାଷାକୁ ପ୍ରାକୃତ ଭାଷା ବୋଲି କୁହାଯାଉଛି୤ ଏହି ପ୍ରାକୃତ ଭାଷାର ପ୍ରବାହ ବୈଦିକ ସମୟରୁ ହିଁ ପ୍ରସାର ଲାଭ କରିଛି୤ ‘ସଂସ୍କୃତ’ର ବିପରୀତ ‘ପ୍ରାକୃତ’ ଓ ଏହା ସବୁସମୟରେ ଥିଲା ଜନସାଧାରଣଙ୍କର କଥିତ ଭାଷା୤ କେତେକ ସଂସ୍କୃତ ବୈୟାକରଣିକ ପ୍ରାକୃତ ଭାଷାକୁ ସଂସ୍କୃତର ମୂଳ ବୋଲି କହିଥାନ୍ତି; କିନ୍ତୁ ଏହି ମତ ଆଜି ସମର୍ଥିତ ହେଉନାହିଁ୤ ‘ପ୍ରକୃତି’ ଶବ୍ଦର ଅର୍ଥ ‘ପ୍ରଜା ବା ଜନସାଧାରଣ’୤ ତେଣୁ ପ୍ରାକୃତ ଭାଷା ହିଁ ସବୁ ସମୟରେ ସାଧାରଣଙ୍କର ଭାଷା ହୋଇ ରହି ଆସିଛି୤ ଜଗନ୍ନାଥ ଦାସ ଭାଗବତର ଅଧିକାଂଶ ସ୍ଥାନରେ ପ୍ରାକୃତ ଭାଷାର ବ୍ୟବହାର କରିଛନ୍ତି୤

‘ପ୍ରାକୃତ ବନ୍ଧେ ଭାଗବତ ୤ କହିଲା ଦାସ ଜଗନ୍ନାଥ ୥

ତେଣୁ ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଆ ଭାଷା ଯେ ପ୍ରାକୃତ ଭାଷା, ଏଥିରେ ସନ୍ଦେହ ନାହିଁ୤ ଏଥିରୁ ଜଣାଯାଏ ଯେ ଓଡ଼ିଆ ଭାଷାର ମୂଳ ପ୍ରାକୃତ, ସଂସ୍କୃତ ନୁହେଁ୤ ସଂସ୍କୃତ ଏକ ସମୟରେ ସମାଜର ଉଚ୍ଚାଙ୍ଗ ଗୋଷ୍ଠୀଙ୍କର ଭାଷା ଥିଲା୤ ସଂସ୍କୃତିରେ ବହୁ କାବ୍ୟ, ନାଟକ, ପୁରାଣ ଓ ଦର୍ଶନାଦି ଲିଖିତ ହୋଇଥିଲେ ହେଁ ଏହା କୌଣସିକାଳେ ଭାରତର କଥିତ ଭାଷା ନଥିଲା ୤ ଓଡ଼ିଆ ଭାଷାରେ ବହୁ ସଂସ୍କୃତ ଶବ୍ଦର ପ୍ରବେଶ ଘଟିଥାଇପାରେ, କିନ୍ତୁ ପ୍ରାକୃତ ହିଁ ଓଡ଼ିଆ ଭାଷାର ମୌଳିକ ଉତ୍ସ୤

ପ୍ରାକୃତ ଭାଷାର ବିଭିନ୍ନ ସ୍ତର

୧. ଖ୍ରୀ.ପୂ. ୨୦୦ - ଖ୍ରୀ.ପୂ. ୬୦୦ (ପ୍ରାଚୀନ ଭାରତୀୟ ବୈଦିକ ଆର୍ଯ୍ୟଭାଷା)
୨. ଖ୍ରୀ.ପୂ. ୬୦୦- ଖ୍ରୀ.ପୂ. ୧୦୦ (ଅଶୋକାନୁଶାସନ, ହୀନଯାନ ବୌଦ୍ଧମାନଙ୍କର ପାଲି ଧର୍ମଗ୍ରନ୍ଥର ଭାଷା)
୩. ଖ୍ରୀ: ୧୦୦ - ୬୦୦ (ପ୍ରାକୃତ ଭାଷାର ବିଭିନ୍ନ ଅଭିଲେଖ, ବିଭିନ୍ନ ସାହିତ୍ୟିକ ପ୍ରାକୃତ)
୪. ଖ୍ରୀ: ୬୦୦ - ୧୦୦୦ (ଅପଭ୍ରଂଶ ସାହିତ୍ୟର ବିକାଶ, ପ୍ରାକୃତ ଭାଷାର ଶେଷସ୍ତର ଅପଭ୍ରଂଶ, ବୌଦ୍ଧଗାନ ଦୋହା ଏହି ସମୟ ମଧ୍ୟରେ ରଚିତ ହୋଇଥିଲା)
୫. ଖ୍ରୀ: ୧୦୦୦ - ଖ୍ରୀ: ୧୫୦୦ (ପ୍ରାଚୀନ ଓଡ଼ିଆ ଭାଷା)
୬. ଖ୍ରୀ: ୧୫୦୦ - ଖ୍ରୀ: ୧୮୦୦ (ଆଧୁନିକ ଓଡ଼ିଆ ଭାଷା)
୭. ଖ୍ରୀ: ୧୮୦୦ - ଆଜି ପର୍ଯ୍ୟନ୍ତ (ଆଧୁନିକ ଓଡ଼ିଆ ଭାଷା)

ପ୍ରାକୃତ ଭାଷାର ଶାଖା

ମହାରାଷ୍ଟ୍ରୀ, ସୌରସେନୀ, ମାଗଧୀ, ଅର୍ଦ୍ଧମାଗଧୀ, ପୈଶାଚୀ୤ ଏଗୁଡ଼ିକ ହେଲା ସାହିତ୍ୟିକ ପ୍ରାକୃତ ଭାଷା୤ ଏହାଛଡ଼ା ଅଶ୍ବଘୋଷଙ୍କ ନାଟକର ପ୍ରାକୃତ ଓ ନିୟ ଅଞ୍ଚଳରୁ ସଂଗୃହୀତ ‘ନିୟ’ ପ୍ରାକୃତ ଭାଷା ମଧ୍ୟ ରହିଛି୤ ନିୟ ପ୍ରାକୃତ ଭାରତର ଉତ୍ତର ପଶ୍ଚିମାଞ୍ଚଳର ପ୍ରାକୃତ ଭାଷା ଓ ତାହା ପ୍ରାଚୀନ ଇରାନୀ, ମଙ୍ଗୋଲ ଓ ତୁଖାରୀ ଭାଷା ଦ୍ବାରା ପ୍ରଭାବିତ୤

ଅପଭ୍ରଂଶ ଭାଷା

ପ୍ରାକୃତ ଭାଷାର କ୍ରମବିକାଶରେ ଅପଭ୍ରଂଶ ଭାଷାର ସ୍ବରୂପ ଦେଖିବାକୁ ମିଳେ ଖ୍ରୀ: ଦଶମ ଶତାବ୍ଦୀର ମଧ୍ୟଭାଗରୁ; କିନ୍ତୁ ଏହି ଅପଭ୍ରଂଶ ବା ଅବହଟ ଭାଷାର ବିକାଶ ଆରମ୍ଭ ହୁଏ ଖ୍ରୀ: ୬୦୦ ଶତକରୁ୤ ଅପଭ୍ରଂଶ ଭାଷାର ସ୍ପରୂପ ପ୍ରଥମେ ଦେଖିବାକୁ ମିଳେ ‘ବୌଦ୍ଧଗାନ ଦୋହା ବା ଆଶ୍ଚର୍ଯ୍ୟଚର୍ଯାଚୟ’ରେ୤ ଚର୍ଯ୍ୟାକବି କାହ୍ନୁପାଦ, ଶବରୀପାଦ, ଲୁଇପାଦ ଓ ଅନ୍ୟାନ୍ୟ ସିଦ୍ଧାଚାର୍ଯ୍ୟଙ୍କର ଅପଭ୍ରଂଶ ଗୀତିକାଗୁଡ଼ିକୁ ଭାରତର ଅନ୍ୟାନ୍ୟ ଭାଷାଭାଷୀ ପ୍ରଦେଶ ଯଥା, ହିନ୍ଦୀ, ବଙ୍ଗାଳୀ, ଆସାମୀ ଓ ମୈଥିଳୀ ସାହିତ୍ୟିକମାନେ ନିଜ ନିଜ ଭାଷାର ପ୍ରାଚୀନତମ ସ୍ବରୂପ ବୋଲି କହିଥାନ୍ତି୤ ଭାଷାତତ୍ତ୍ବ ଓ ଧାର୍ମିକ ପରମ୍ପରା ଦୃଷ୍ଟିରୁ ବିଚାର କଲେ ଚର୍ଯ୍ୟାଗୀତିକାର ଅଧିକାଂଶ କବି ଯେ ଓଡ଼ିଶାର ଥିଲେ ଓ ସେମାନଙ୍କର ଗୀତିକାଗୁଡ଼ିକ ଖ୍ରୀ: ୯ମ ଓ ୧୦ମ ଶତକର ଅପଭ୍ରଂଶ ଓଡ଼ିଆ ଭାଷା ଏଥିରେ ଦ୍ବିମତ ନାହିଁ୤

ଓଡ଼ିଆ ଭାଷାରେ ଅନ୍ୟାନ୍ୟ ଭାଷାଗୋଷ୍ଠୀର ପ୍ରଭାବ

  • ଆଦିବାସୀ ବା ଅଷ୍ଟ୍ରୋଏସୀୟ ଭାଷା
  • ଦ୍ରାବିଡ଼ ଭାଷା
  • ମୁସଲମାନୀ ଭାଷା

ଆଦିବାସୀ ବା ଅଷ୍ଟ୍ରୋଏସୀୟ ଭାଷା: ଓଡ଼ିଶା ଏକ ଆଦିବାସୀବହୁଳ ପ୍ରଦେଶ୤ ସମଗ୍ର ଲୋକସଂଖ୍ୟାର ଶତକଡ଼ା ୨୫ ହେଉଛନ୍ତି ଆଦିବାସୀ୤ ଓଡ଼ିଶାର ଲୋକକଥା ଓ କାହାଣୀ ତଥା ସାମାଜିକ ଚଳଣିରେ ବହୁ ଆଦିବାସୀ ପ୍ରଭାବ ରହିଛି୤ ଓଡ଼ିଶାର ପ୍ରସିଦ୍ଧ ପ୍ରାକୃତ ବୈୟାକରଣିକ ମାର୍କଣ୍ଡେୟ ତାଙ୍କର ପ୍ରାକୃତ ସର୍ବସ୍ବ ଗ୍ରନ୍ଥରେ ଔଡ୍ରୀ ଅପଭ୍ରଂଶ ସମ୍ବନ୍ଧରେ କହିଛନ୍ତି ଯେ ଔଡ୍ରୀ ଓ ଶୌରସେନିର ମିଶ୍ରଣରେ ଶବର ଔଡ୍ରୀ ନାମକ ସଂକର ଭାଷାର ଉତ୍ପତ୍ତି ଘଟିଛି୤ ବିଶେଷକରି ପଞ୍ଚଦଶ ଶତାବ୍ଦୀରୁ ଷୋଡ଼ଶ ଶତାବ୍ଦୀ ମଧ୍ୟଭାଗ ପର୍ଯ୍ୟନ୍ତ ଓଡ଼ିଶାର ପ୍ରସିଦ୍ଧ ଲେଖକଙ୍କ ସାହିତ୍ୟକୃତିର ଆଦିବାସୀ ଶବ୍ଦର ବହୁଳ ବ୍ୟବହାର ଦେଖିବାକୁ ମିଳେ୤ ତେବେ ଆଦିବାସୀ ଭାଷାର ଲିପି ନ ଥିବାରୁ ଓଡ଼ିଆ ଭାଷା ଉପରେ ଆଦିବାସୀ ଭାଷାର କେତେ ପ୍ରଭାବ ପଡ଼ିଛି ତାହା ଗବେଷଣା ହୋଇନାହିଁ୤

ଦ୍ରାବିଡ଼ ଭାଷା: ପ୍ରଧାନ ଭାଷା ଗୋଷ୍ଠୀ ମଧ୍ୟରେ ଦ୍ବିତୀୟ ଗୋଷ୍ଠୀ ହେଉଛନ୍ତି ଦ୍ରାବିଡ଼ ଗୋଷ୍ଠୀ୤ ଓଡ଼ିଶାର ଦକ୍ଷିଣାଞ୍ଚଳ ଅର୍ଥାତ୍‌ ଗଞ୍ଜାମ, କୋରାପୁଟ ଅଞ୍ଚଳ ନିକଟବର୍ତ୍ତୀ ତଲୁଗୁ ଭାଷାଭାଷୀ ଲୋକଙ୍କ ଦ୍ବାରା ପ୍ରଭାବିତ୤ ଅପରପକ୍ଷେର ୫୦୦ ବର୍ଷ ଧରି ଦ୍ରାବିଡ଼ଭାଷୀ ଗଙ୍ଗରାଜାମାନେ ଓଡ଼ିଶାରେ ରାଜତ୍ବ କରିଥିଲେ୤ ଫଳତଃ ଗଙ୍ଗ ତଥା ସୂର୍ଯ୍ୟବଂଶ ରାଜତ୍ବରେ ଅନେକ ତେଲୁଗୁ ଶିଳାଲେଖ ଦେଖିବାକୁ ମିଳେ୤ ସେହିପରି ତ୍ରୟୋଦଶ ଶତାବ୍ଦୀରେ ଚତୁର୍ଥ ନରସିଂହଦେବଙ୍କର ଭୁବନେଶ୍ବର ଦୈଭାଷିକ (ତେଲୁଗୁ - ଓଡ଼ିଆ) ଶିଳାଲେଖ ଦେଖିବାକୁ ମିଳେ୤

ମୁସଲମାନୀ ଭାଷା: ଗଙ୍ଗ ଓ ସୂର୍ଯ୍ୟବଂଶ ରାଜତ୍ବ ପରେ ଓଡ଼ିଶାର ଆଫଗାନ ଓ ମୁସଲମାନମାନ ରାଜତ୍ବ କରିଥିଲେ୤ ଫଳତଃ ଓଡ଼ିଆ ଭାଷା ଏହିସବୁ ଭାଷାଦ୍ବାରା ପ୍ରଭାବିତ ହୋଇଛି୤ ପ୍ରାଚୀନ ଓଡ଼ିଆ ସାହିତ୍ୟିକ ଉପେନ୍ଦ୍ର ଭଞ୍ଜଙ୍କଠାରୁ ଆରମ୍ଭ କରି କବିସୂର୍ଯ୍ୟ ବଳଦେବ ରଥ, ବ୍ରଜନାଥ ବଡ଼ଜେନା ଓ ଆଧୁନିକ ଯୁଗର କବିମାନଙ୍କ ମଧ୍ୟେର କବିବର ରାଧାନାଥ ରାୟ ଓ ଫକିରମୋହନ ସେନାପତିଙ୍କ ଲେଖାରେ ବହୁଳ ଯାବନିକ ଶବ୍ଦର ବ୍ୟବହାର ଦେଖିବାକୁ ମିଳେ୤ ବିଶେଷକରି କବିସୂର୍ଯ୍ୟଙ୍କ ସମୟରୁ ଯାବନିକ ଶବ୍ଦର ବ୍ୟବହାର ଦେଖିବାକୁ ମିଳେ୤ ଓଡ଼ିଆ ଶବ୍ଦକୋଷରେ ପ୍ରାୟ ସହସ୍ରାଧିକ ଆରବୀ, ଫାରସୀ ଶବ୍ଦ ବ୍ୟବହୃତ ହେଉଅଛି୤ ଏସବୁ ଭାଷା ବ୍ୟତୀତ ତୁର୍, ପର୍ତ୍ତୁଗୀଜ ଭାଷାର ପ୍ରଭାବ ମଧ୍ୟ କେତେକାଂଶରେ ଓଡ଼ିଆ ଭାଷାରେ ଦେଖିବାକୁ ମିଳେ୤ ୧୫୧୪ରେ ପର୍ତ୍ତୃଗୀଜ ମାନେ ଓଡ଼ିଶା ଭୂଇଁରେ ପାଦ ଦେଇଥିଲେ୤ ସେତେବେଳେ ଓଡ଼ିଶାରେ ଗଜପତି ପ୍ରତାପରୁଦ୍ରଦେବଙ୍କର ରାଜତ୍ବ ଥିଲା୤ ପର୍ତ୍ତୃଗୀଜମାନେ ପ୍ରଥମେ ସୁବର୍ଣ୍ଣରେଖା ମୁହାଣର ପିପିଲି ନିକଟରେ ବାଣିଜ୍ୟ କେନ୍ଦ୍ର ସ୍ଥାପନ କରିଥିଲେ୤ ଏମାନଙ୍କର ଭାଷା ଓଡ଼ିଆ ଭାଷା ଉପରେ କେତେକାଂଶରେ ପ୍ରଭାବିତ ହୋଇଛି୤

ଇଂରାଜୀ ଭାଷା: ୧୬୩୩ରେ ଇଂରେଜମାନେ ଓଡ଼ିଶାରେ ପଦାର୍ପଣ କଲେ୤ ସେମାନେ କଟକ ଜିଲାର ହରିହରପୁର ଓ ବାଲେଶ୍ବରଠାରେ ବାଣିଜ୍ୟକେନ୍ଦ୍ର ସ୍ଥାପନ କରିଥିଲେ; କିନ୍ତୁ ପରେ ସେମାନେ ବଙ୍ଗଦେଶକୁ ଚାଲିଯାଇଥିଲେ୤ ତେବେ ୧୮୦୩ ବେଳକୁ ଓଡ଼ିଶା ଇଂରେଜୀ ଶାସନାଧୀନକୁ ଆସିଲା୤ ଦେଶରେ ଇଂରାଜୀ ଶିକ୍ଷାର ପ୍ରସାର ପରେ ଓଡ଼ିଆ ଭାଷାର ଗଠନ ଓ ପ୍ରକାଶଭଙ୍ଗୀରେ ଅଭୂତପୂର୍ବ ପରିବର୍ତ୍ତନ ଆସିଲା୤

ସୌଜନ୍ୟ

 

  • ଓଡ଼ିଆ ସାହିତ୍ୟର ଇତିହାସ (ଡ. ବଂଶୀଧର ମହାନ୍ତି)
  • ଓଡ଼ିଆ ଭାଷାର ଉତ୍ପତ୍ତି ଓ କ୍ରମବିକାଶ (ଡ. ବଂଶୀଧର ମହାନ୍ତି)
  • ଓଡ଼ିଆ ଭାଷାର ଉନ୍ମେଷ ଓ କ୍ରମବିକାଶ (ଡ. ବାସୁଦେବ ସାହୁ)
  • ଲିଖନ ପ୍ରଣାଳୀରେ ବ୍ୟବହୃତ ଲିପି

     
    ନାମ ସଂକ୍ଷିପ୍ତ ନାମ ଭାଷା ଲିଖନରେ ଉପଯୋଗ
    ବଡ଼ୋ ଗଦବା (ଓଡ଼ିଆ ଲିପି ଜିବିଜେ-ଓଡ଼ିଆ ଗଦବା, ବଡୋ (ଜିବିଜେ)
    ବଦୋ ପରଜା (ଓଡ଼ିଆ ଲିପି) ବିଡିଭି-ଓଡ଼ିଆ ବଦୋ ପରଜା (ବିଡିଭି)
    ବଣ୍ଡୋ (ଓଡ଼ିଆ ଲିପି) ବିଏଫଡବ୍ଲ୍ୟୁ-ଓଡ଼ିଆ ବଣ୍ଡୋ (ବିଏଫଡବ୍ଲ୍ୟୁ) (ବିଏଫଡବ୍ଲ୍ୟୁ)
    ଦେଶିଆ (ଓଡ଼ିଆ ଲିପି) ଡିଏସଓ-ଓଡ଼ିଆ ଦେଶିଆ (ଡିଏସଓ)
    ଦୁରୁୱା (ଓଡ଼ିଆ ଲିପି) ପିସିଆଇ-ଓଡ଼ିଆ ଦୁରୁୱା (ପିସିଆଇ)
    ହୋ (ଓଡ଼ିଆ ଲିପି) ଏଚଓସି-ଓଡ଼ିଆ ହୋ (ଏଚଓସି)
    ଜୁଆଙ୍ଗ (ଓଡ଼ିଆ ଲିପି) ଜେୟୁଏନ-ଓଡ଼ିଆ ଜୁଆଙ୍ଗ (ଜେୟୁଏନ)
    କିଶାନ (ଓଡ଼ିଆ ଲିପି) ଏକ୍ସଆଇଏସ-ଓଡ଼ିଆ କିଶାନ (ଏକ୍ସଆଇଏସ)
    କୋୟା (ଓଡ଼ିଆ ଲିପି) କେଏଫଏଫ-ଓଡ଼ିଆ କୋୟା (କେଏଫଏଫ)
    କୁଡୁମାଲି (ଓଡ଼ିଆ ଲିପି) କେୱାଇଡବ୍ଲ୍ୟୁ-ଓଡ଼ିଆ କୁଡୁମାଲ (କେୱାଇଡବ୍ଲ୍ୟୁ)
    କୁଇ (ଓଡ଼ିଆ ଲିପି) କେଏକ୍ସୟୁ-ଓଡ଼ିଆ କୁଇ (କେଏକ୍ସୟୁ)
    କୁଭି (ଓଡ଼ିଆ ଲିପି) କେଏକ୍ସଭି-ଓଡ଼ିଆ କୁଭି (କେଏକ୍ସଭି)
    ମିରଗାନ (ଓଡ଼ିଆ ଲିପି) ଜେଡଆରଜି-ଓଡ଼ିଆ ମିରଗାନ (ଜେଡଆରଜି)
    ମୁଣଡାରୀ (ଓଡ଼ିଆ ଲିପି) ୟୁଏନଆର-ଓଡ଼ିଆ ମୁଣ୍ଡାରୀ (ୟୁଏନଆର)
    ଓଡ଼ିଆ (ଓଡ଼ିଆ ଲିପି) ଓଆରୱାଇ-ଓଡ଼ିଆ ଓଡ଼ିଆ (ଓଆରୱାଇ)
    ଓରିଆ (ମାକ୍ରୋ ଭାଷା) (ଓଡ଼ିଆ ଲିପି) ଓଆର ଓଡ଼ିଆ (ମାକ୍ରୋ) (ଓଆରଆଇ)
    ପେଙ୍ଗା (ଓଡ଼ିଆ ଲିପି) ପିଇଜି-ଓଡ଼ିଆ ପେଙ୍ଗୋ (ପିଇଜି)
    ପଟାଙ୍ଗି ଓଲାର ଗଦବା (ଓଡ଼ିଆ ଲିପି) ଜିଡିବି-ଓଡ଼ିଆ ଗଦବା, ପଟାଙ୍ଗର (ଜିଡିବି)
    ସମବଲପୁରୀ (ଓଡ଼ିଆ ଲିପି) ଏସପିଭି-ଓଡ଼ିଆ ସମ୍ବଲପୁରୀ (ଏସପିଭି)
    ସାନ୍ତାଳୀ (ଓଡ଼ିଆ ଲିପି) ଏସଏଟି-ଓଡ଼ିଆ ସାନ୍ତାଳୀ (ଏସଏଟି)
    ସୌରା (ଓଡ଼ିଆ ଲିପି) ଏସଆରବି-ଓଡ଼ିଆ ସୌରା (ଏସଆରବି)

    http://scriptsource.org/cms/scripts/page.php?item_id=script_detail&key=Orya&sort_writing_system_entries_gen=wrSys_displayCode



 
ଓଡ଼ିଶାର କ୍ରମ ଇତିହାସ
-

ଦେଖନ୍ତୁ
-
୩୦ଟି ଜିଲାର ବିବରଣୀ

Expo Dictionary
-


 

 

 

 

 

 



Powered by expoodisha