Home Introduction Fonts about Contact Us   

ଭୌଗୋଳିକ ସ୍ଥିତି

 

ଓଡ଼ିଶା ପୂର୍ବ ଉପକୂଳସ୍ଥ ଏକ ରାଜ୍ୟ୤ ଏହା ୧୭ଂ୪୯ ରୁ ୨୨ଂ୩୪ ଉତ୍ତର ସୀମାରେଖା ମଧ୍ୟରେ ଅବସ୍ଥିତ୤ ପୂର୍ବରେ ବଙ୍ଗୋପସାଗର, ଉତ୍ତରପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମରେ ଛତିଶଗଡ଼ ଏବଂ ଦକ୍ଷିଣରେ ଆନ୍ଧ୍ରପ୍ରଦେଶ ରହିଛି୤ ଓଡ଼ିଶାର ମୋଟ କ୍ଷେତ୍ରଫଳ ୧,୫୫,୭୦୭ ବର୍ଗ କିଲୋମିଟର୤ ପ୍ରାକୃତିକ ଗଠନ ଅନୁଯାୟୀ ଓଡ଼ିଶାକୁ ୩ ଭାଗରେ ବିଭକ୍ତ କରାଯାଇଛି୤ ପ୍ରଶାସନିକ ସୁବିଧା ପାଇଁ ରାଜ୍ୟର ଜିଲାସଂଖ୍ୟାକୁ ମଧ୍ୟ ପରିବର୍ଦ୍ଧିତ କରାଯାଇଛି୤

ଭୂ-ପ୍ରକୃତି

ପ୍ରାକୃତିକ ଗଠନ ଅନୁଯାୟୀ ଓଡ଼ିଶାକୁ ୩ ଭାଗରେ ବିଭକ୍ତ କରାଯାଇଛି
୧. ମଧ୍ୟପାର୍ବତ୍ୟ ଅଞ୍ଚଳ
୨. ପଶ୍ଚିମସ୍ଥ ମାଳ ଅଞ୍ଚଳ
୩. ଉପୂଳବର୍ତ୍ତ ସମତଳ ଅଞ୍ଚଳ

ମଧ୍ୟପାର୍ବତ୍ୟ ଅଞ୍ଚଳ : ରାଜ୍ୟର ମଧ୍ୟଭାଗରେ ଉତ୍ତର-ପୂର୍ବରୁ ମୟୂରଭଞ୍ଜ ଜିଲାର ଶିମିଳିପାଳ ପର୍ବତଶ୍ରେଣୀଠାରୁ ଦକ୍ଷିଣ ପଶ୍ଚିମରେ ମାଲକାନଗିରି ଜିଲା ପର୍ଯ୍ୟନ୍ତ ବିସ୍ତୃତ୤ ଅନେକଗୁଡ଼ିଏ ପର୍ବତମାଳାର ସମଷ୍ଟିରୁ ଏହି ଅଞ୍ଚଳ ଗଠିତ୤ ଏହା ପୂର୍ବଘାଟ ପର୍ବତାମାଳାର ଏକ ଅଂଶବିଶେଷ୤ ବ୍ରାହ୍ମଣୀ ଓ ମହାନଦୀ ଦ୍ବାରା ବିଖଣ୍ଡିତ ହୋଇଥିବା ଏହା ଅବିଚ୍ଛିନ୍ନ ନୁହେଁ୤ ଏହାର ହାରାହାରି ଉଚ୍ଚତା ପ୍ରାୟ ୯୦୦ ମିଟର୤ ଓଡ଼ିଶାର ପୂର୍ବଘାଟର ଉଚ୍ଚତମ ଶୃଙ୍ଗ କୋରାପୁଟ ଜିଲାର ଦେଓମାଳି୤ ଏହାର ଉଚ୍ଚତା ୧,୬୭୦ ମିଟର୤ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ବୌଦ୍ଦ, ନୟାଗଡ଼, କଟକ, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଆଦି ଜିଲା ଏହି ଅଞ୍ଚଳର ଅଂଶବିଶେଷ୤

୨. ପଶ୍ଚିମସ୍ଥ ମାଳ ଅଞ୍ଚଳ: ମଧ୍ୟପାର୍ବତ୍ୟ ଅଞ୍ଚଳର ପଶ୍ଚମକୁ ଏହି ଅଞ୍ଚଳ ଅବସ୍ଥିତ୤ ଏହାର ହାରାହାରି ଉଚ୍ଚତା ସମୁଦ୍ରପତ୍ତନଠାରୁ ୧୫୦ ମିଟରରୁ ୩୦୦ ମିଟର୤ ଏହି ମାଳ ଅଞ୍ଚଳର ଉତ୍ତର ପୂର୍ବରୁ ଦକ୍ଷିଣ ଆଡ଼କୁ କ୍ରମଶଃ ଢାଲୁ୤ ମହାନଦୀର ବାମପଟେ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ଦକ୍ଷିଣ ଭାଗରେ ବଲାଙ୍ଗୀର, ସୁବର୍ଣ୍ଣପୁରଠାରୁ ମାଲକାନଗିରି ପର୍ଯ୍ୟନ୍ ଏହି ଅଞ୍ଚଳର ପରିବ୍ୟାପ୍ତ୤ ତେଲ, ଇନ୍ଦ୍ରାବତୀ, ଋଷିକୁଲ୍ୟା ଓ ବଂଶାଧାରା ନଦୀର ଅବବାହିକା ମଧ୍ୟ ଏହି ଅଞ୍ଚଳରେ ଅବସ୍ଥିତ୤

୩. ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ: ବଙ୍ଗୋପସାଗର ଓ ପୂର୍ବଘାଟ ପର୍ବତାମାଳାର ମଧ୍ୟବର୍ତ୍ତୀ ଅଞ୍ଚଳରେ ଏହା ଅବସ୍ଥିତ୤ ଏହା ଉତ୍ତରରେ ସୁବର୍ଣ୍ଣରେଖା ନଦୀଠାରୁ ଦକ୍ଷିଣରେ ଋଷିକୁଲ୍ୟା ନଦୀ ପର୍ଯ୍ୟନ୍ତ ବିସ୍ତୃତ୤ ଏହି ଅଞ୍ଚଳଟି ଉତ୍ତର ଓ ଦକ୍ଷିଣ ଭାଗରେ ସଂକୀର୍ଣ୍ଣ; ମାତ୍ର ମଧ୍ୟଭାଗରେ ପ୍ରଶସ୍ତ୤ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବ୍ରାହ୍ମଣୀ, ବୈତରଣୀ, ମହାନଦୀ, ଋଷିକୁଲ୍ୟା ଆଦି ନଦୀର ପଟୁମାଟି ଦ୍ବାରା ଏହି ସମତଳ ଅଞ୍ଚଳ ଗଠିତ୤ ତେଣୁ ଏହା ଉର୍ବର, ଶସ୍ୟଶାମଳା ଏବଂ ଜନାକୀର୍ଣ୍ଣ ଅଞ୍ଚଳଭାବେ ପରିଚିତ୤ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମ ଜିଲାର ଅଧିକାଂଶ ଅଞ୍ଚଳ ଏହାର ପରିସରଭୁକ୍ତ୤

ସେସ୍‌ମିକ ଜୋନ୍

ଭୂ-ଖଣ୍ଡ ଗଠନ ଅନୁଯାୟୀ ଓଡ଼ିଶା ସେସ୍‌ମିକ ଜୋନ ଅନ୍ତର୍ଗତ  ଦୁଇ ଓ ତିନି ମଧ୍ୟରେ ଅବସ୍ଥିତ୤ ଯାହା ଭାରତର ଭୂକମ୍ପ ପ୍ରବଣ ଅଞ୍ଚଳ ପରିସୀମାଠାରୁ ନିମ୍ନରେ୤ ଏଥିପାଇଁ ଓଡ଼ିଶାରେ ବଡ଼ଧରଣର ଭୂକମ୍ପ ଆଶଙ୍କା କମ୍୤ ଏହା ବଙ୍ଗୋପ ସାଗର କୂଳରେ ଥିବାରୁ ଏଠାର ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟର ସମ୍ଭାବନା ଅଧିକ୤ ଜଙ୍ଗଲ

ନଦୀ

ଓଡ଼ିଶାର ସମସ୍ତ ନଦୀ, ଉପଦ୍ବୀପ ଏବଂ ମାଳଭୂମି କିମ୍ବା ଏହାର ଅଂଶବିଶେଷରୁ ସୃଷ୍ଟିହୋଇ ବଙ୍ଗୋପସାଗରରେ ପଡ଼ିଛନ୍ତି୤ ଏହି ନଦୀଗୁଡ଼ିକ ଚିରସ୍ରୋତା କିମ୍ବା ବର୍ଷସାରା ସୁନାବ୍ୟା ନୁହନ୍ତି୤ ଅଧିକାଂଶ ନଦୀ ସମୁଦ୍ରରେ ପଡ଼ିବା ପୂର୍ବରୁ ବିସ୍ତୀର୍ଣ୍ଣ ତ୍ରିକୋଣଭୂମି ସୃଷ୍ଟି କରିଛନ୍ତି୤ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ଋଷିକୂଲ୍ୟା ଏବଂ ବଂଶଧାରା ଆଦି ଓଡ଼ିଶାର ପ୍ରଧାନ ନଦୀ୤

ହ୍ରଦ

ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ରହିଛି ଅନେକ ହ୍ରଦ୤ ସେଗୁଡ଼ିକ ମଧ୍ୟରୁ ଚିଲିକା ଓ ଅଂଶୁପା ଅନ୍ୟତମ୤ ପ୍ରତିବର୍ଷ ଦେଶବିଦେଶର ହଜାର ହଜାର ପକ୍ଷୀ ଏଠାକୁ ଆସିଥାନ୍ତି୤ ଶୀତଋତୁ ଆରମ୍ଭ ପୂର୍ବରୁ ଏମାନେ ଫରି ଯାଆନ୍ତି୤ ଚଳିତବର୍ଷ ପ୍ରାୟ ୩୨ ପ୍ରଜାତିର ନୂଆ ପକ୍ଷୀ ଆସିଥିବା ଗଣନାରୁ ଜଣାପଡ଼ିଛି୤

ବୃଷ୍ଟିପାତ (ମୌସୁମୀ)

ଓଡ଼ିଶାର ଉପକୂଳ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ପ୍ରବାହ ପଥ ସହିତ ସମାନ୍ତରାଳ ହୋଇ ରହିଥିବାରୁ ଓଡ଼ିଶାରେ ମୌସୁମୀ ବାୟୁ ପ୍ରବେଶ କରିପାରେ ନାହିଁ୤ ତେବେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦ୍ବାରା ଓଡ଼ିଶାରେ ବୃଷ୍ଟିପାତ ହୋଇଥାଏ୤ ୧୫୦୦ ମି.ମି. ବୃଷ୍ଟିପାତ ରେଖା ସମ୍ବଲପୁର, ରେଢ଼ାଖୋଲ, ଅନୁଗୋଳ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଦେଇ ଯାଇଛି୤ ବଙ୍ଗୋପ ସାଗରରେ ଘୂର୍ଣ୍ଣିବାତ୍ୟା ଯୋଗୁଁ କେନ୍ଦୁଝର ଓ ମୟୂରଭଞ୍ଜ ଜିଲାରେ ଅବସ୍ଥିତ ଉଚ୍ଚ ମାଳଭୂମି ଅଞ୍ଚଳରେ (ଶିମିଳିପାଳ) ବାର୍ଷିକ ବୃଷ୍ଟିପାତ ପ୍ରାୟ ୧୭୫୦ ମି.ମି.ରୁ ଅଧିକ ହୋଇଥାଏ୤ ରାଜ୍ୟର ଉତ୍ତର ଓ ଦକ୍ଷିଣ ପଶ୍ଚିମ ଅଞ୍ଚଳ ତୁଳନାର ଋଷିକୁଲ୍ୟା ନଦୀ ଉପତ୍ୟକାରେ ଅଳ୍ପ ବୃଷ୍ଟିପାତ ହୋଇଥାଏ୤ ଉତ୍ତର ଓଡ଼ିଶାର ବୁଢ଼ାବଳଙ୍ଗ, ବୈତରଣୀ, ବ୍ରାହ୍ମଣୀ ଓ ଇବ୍ ନଦୀ ଉପତ୍ୟକା ଅଞ୍ଚଳରେ ଅତ୍ୟଧିକ ବୃଷ୍ଟିପାତ ହୋଇଥାଏ୤ ରାଜ୍ୟରେ ବୃଷ୍ଟିପାତର ପରିମାଣ ପ୍ରାୟ ୧୫୦୦ ମି.ମି.୤

ସଂକ୍ଷେପରେ ଓଡ଼ିଶାର ଭୌଗୋଳିକ ସ୍ଥିତି

 

 ଆୟତନ    -   ୧ ଲକ୍ଷ ୫୫ ହଜାର ୭୦୭ ବର୍ଗ କିଲୋମିଟର
 ପରିସୀମା    -   ପୂର୍ବରେ ବଙ୍ଗୋପସାଗର ପଶ୍ଚିମରେ ମଧ୍ୟପ୍ରଦେଶ ଉତ୍ତରରେ ବିହାର ଓ ଦକ୍ଷିଣରେ ଆନ୍ଧ୍ର ପ୍ରଦେଶ
 ପ୍ରାକୃତିକ ଗଠନ    -   ପ୍ରାକୃତିକ ଗଠନ ଅନୁଯାୟୀ ଓଡ଼ିଶାକୁ ୩ ଭାଗରେ ବିଭକ୍ତ କରାଯାଇଛି
        ୧. ମଧ୍ୟ ପାର୍ବତ୍ୟ ଅଞ୍ଚଳ
୨. ପଶ୍ଚମସ୍ଥ ମାଳ ଅଞ୍ଚଳ
୩. ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ
 ଚାଷଜମି    -   ୯୭୦୪୨ ହଜାର ହେକ୍ଟର
 ସେଚଜମି    -   ୨୯୦୩୬ ହଜାର ହେକ୍ଟର

ଅରଣ୍ୟ

Odisha Forest map

ଓଡ଼ିଶାରେ ରହିଛି ବିସ୍ତୀର୍ଣ୍ଣ ଘନ ଜଙ୍ଗଲ୤ ଏହାକୁ ଚାରି ଭାଗରେ ବିଭକ୍ତ କରାଯାଇଛି୤
୧. କ୍ରାନ୍ତୀୟ ଅର୍ଦ୍ଧଚିରହରିତ
୨. କ୍ରାନ୍ତୀୟ ଆର୍ଦ୍ର ପର୍ଣ୍ଣମୋଚୀ
୩. କ୍ରାନ୍ତୀୟ ଶୁଷ୍କ ପର୍ଣ୍ଣମୋଚୀ
୪. ଉପକୂଳବର୍ତ୍ତୀ ଜୁଆରିଆ

ବନ୍ୟପ୍ରାଣୀ

ଓଡ଼ିଶା ଅରଣ୍ୟଗୁଡ଼ିକରେ ଅନେକଗୁଡ଼ିଏ ବନ୍ୟପ୍ରାଣୀ ରହିଛନ୍ତି୤ ମୟୂରଭଞ୍ଜର ଶିମିଳିପାଳରେ ମହାବଳ ବାଘ ଓ ଭୁବନେଶ୍ବରର ଚନ୍ଦକାରେ ବହୁସଂଖ୍ୟକ ହାତୀ ଦେଖାଯାଆନ୍ତି୤ ଏହାବ୍ୟତୀତ ମାଲକାନଗିରି ଓ ଖଡ଼ିଆଳ ଅରଣ୍ୟରେ ବଣ ମଇଁଷି ରହିଛନ୍ତି୤ ସେହିପରି ଅନେକ ପ୍ରକାର ସରୀସୃପ ଓ ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳିଥିଲା୤ ଏମାନଙ୍କ ସଂରକ୍ଷଣ ପାଇଁ ଅଭୟାରଣ୍ୟ, ଜାତୀୟ ଉଦ୍ୟାନ, ପକ୍ଷୀବିହାର ଆଦି ସ୍ଥାପନ କରାଯାଇଛି

 

ଓଡ଼ିଶାର ନଦୀର ସମୂହ

ସୌଜନ୍ୟ


Powered by expoodisha